ଯଦି ତୁମେ ଦିବ୍ୟକର୍ମର ଯଥାର୍ଥ କର୍ମୀ ହେବାକୁ ଚାହଁ, ତେବେ ତୁମର ଲକ୍ଷ୍ୟ ପ୍ରଥମେ ହେବ ସମସ୍ତ ବାସନାରୁ, ଆତ୍ମସର୍ବସ୍ଵ ଅହଂକାରରୁ ନିଜକୁ ପୂର୍ଣ୍ଣରୂପେ ମୁକ୍ତ କରିବା । ତୁମର ସମସ୍ତ ଜୀବନ ହେବ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଏକ ନିବେଦନ ଓ ଆତ୍ମଦାନ; କର୍ମରେ ତୁମର ଏକମାତ୍ର ଲକ୍ଷ୍ୟ ହେବ ଭାଗବତୀ ଶକ୍ତିଙ୍କ ଲୀଳାରେ ତାଙ୍କର ସେବକ ହେବା, ତାଙ୍କୁ ଧାରଣ କରିବା, ସାର୍ଥକ କରିବା, ତାଙ୍କ ପ୍ରକାଶର ଯନ୍ତ୍ର ହେବା । ଭାଗବତ ଚେତନାରେ ତୁମକୁ ପୂର୍ଣ୍ଣତର ହୋଇ ଉଠିବାକୁ ହେବ, ଯେପରି ଶେଷରେ ତୁମର ଇଚ୍ଛା ଏବଂ ତାଙ୍କର ଇଚ୍ଛା ମଧ୍ୟରେ କୌଣସି ପାର୍ଥକ୍ୟ ନ ରହେ, ତାଙ୍କର ପ୍ରେରଣା ବ୍ୟତୀତ ଆଉ କୌଣସି ସଂକଳ୍ପ ତୁମ ମନ ମଧ୍ୟରେ ସ୍ଥାନ ନ ପାଏ, ତାଙ୍କର ସଜ୍ଞାନ କର୍ମ ବ୍ୟତୀତ ତୁମ ମଧ୍ୟରେ ଏବଂ ତୁମକୁ ଆଶ୍ରୟ କରି ଆଉ କୌଣସି କର୍ମ ଯେପରି ନ ହୁଏ ।
ଯେତେଦିନ ପର୍ଯ୍ୟନ୍ତ ତୁମେ ଏହି ସମ୍ପୂର୍ଣ୍ଣ ସକ୍ରିୟ ଏକତ୍ଵ ସ୍ଥାପନ କରି ନ ପାରିଛ ସେତେଦିନ ପର୍ଯ୍ୟନ୍ତ ତୁମକୁ ମନେ କରିବାକୁ ହେବ ଯେ ତୁମେ ଦେହ ଓ ଆତ୍ମା ନେଇ ସୃଷ୍ଟ ହୋଇଛ ମା’ଙ୍କର ସେବା ନିମିତ୍ତ ଏବଂ ତୁମର ସମସ୍ତ କର୍ମ ହେବ ତାଙ୍କର ପ୍ରୀତ୍ୟର୍ଥେ । ପୃଥକ୍ କର୍ତ୍ତୃତ୍ଵବୋଧ ଯଦି ତୁମ ମଧ୍ୟରେ ପ୍ରବଳ ଥାଏ, ତୁମେ ଯଦି ଅନୁଭବ କର ଯେ ତୁମେ ସ୍ବୟଂ କର୍ମ କରୁଛ, ତେବେ ବି ସେହି କର୍ମ କରିବ ତାଙ୍କରି ଉଦ୍ଦେଶ୍ୟରେ । ଅହଂକାରର ନିଜ ଅଭିରୁଚି ଉପରେ ସମସ୍ତ ଝୁଙ୍କ୍, ବ୍ୟକ୍ତିଗତ ଯାବତୀୟ ଲାଭର ଲାଳସା, ଆତ୍ମସର୍ବସ୍ବ ବାସନାର ସମସ୍ତ ପ୍ରତ୍ୟାଶା ସ୍ବଭାବରୁ ମୂଳୋତ୍ପାଟିତ କରିବାକୁ ହେବ । ଫଳ ନିମିତ୍ତ କୌଣସି ଦାବି, ପୁରସ୍କାର ନିମିତ୍ତ କୌଣସି ଆକାଂକ୍ଷା ରହିବ ନାହିଁ; ଏକମାତ୍ର ତୁମେ ଯେଉଁ ଫଳ ଚାହିଁବ ତାହା ହେଲା ମା ଭଗବତୀଙ୍କର ତୃପ୍ତି, ତାଙ୍କ କର୍ମର ସିଦ୍ଧି, ତୁମର ଏକମାତ୍ର ପୁରସ୍କାର ହେବ ଭାଗବତ ଚେତନାରେ ଶାନ୍ତି, ଶକ୍ତି ଓ ଆନନ୍ଦ ମଧ୍ୟରେ ଅବିରାମ ପ୍ରଗତି । ସେବାର ଆନନ୍ଦ, କର୍ମ ସାହାଯ୍ୟରେ ଆନ୍ତର ପୁଷ୍ଟିର ଆନନ୍ଦ,– ନିରହଂକାର କର୍ମୀ ପକ୍ଷରେ ଏହାହିଁ ଯଥେଷ୍ଟ ପୁରସ୍କାର।
କିନ୍ତୁ ଏପରି ଦିନ ଆସିବ ଯେତେବେଳେ ତୁମେ କ୍ରମଶଃ ଅନୁଭବ କରିପାରିବ ଯେ ତୁମେ କର୍ମୀ ନୁହଁ, ଯନ୍ତ୍ର। କାରଣ ପ୍ରଥମତଃ ଅନନ୍ୟନିଷ୍ଠା ବଳରେ ମା’ଙ୍କ ସଙ୍ଗରେ ତୁମର ମିଳନ ଏପରି ଘନିଷ୍ଠ ହୋଇଉଠିବ ଯେ ତାଙ୍କର ଆଶୁ ନିର୍ଦେଶ ଓ ପ୍ରେରଣା ସକାଶେ କେବଳ ଏକାଗ୍ର ହୋଇ ତାଙ୍କ ହାତରେ ସର୍ବସ୍ବ ଅର୍ପଣ କରିବାକୁ ହେବ – କ’ଣ କରିବାକୁ ହେବ, କି ଉପାୟରେ କରିବାକୁ ହେବ ଏବଂ ତା’ର ଫଳ କ’ଣ ହେବ, ଏ ସମସ୍ତର ଅଭ୍ରାନ୍ତ ଇଙ୍ଗିତ ମିଳିବ । ଏହାପରେ ତୁମର ଉପଲବ୍ଧି ହେବ ଯେ ଭାଗବତୀ ଶକ୍ତି କେବଳ ପ୍ରେରଣା ଦିଅନ୍ତି ନାହିଁ, ପଥ ଦେଖାଇ ଚଳାନ୍ତି ନାହିଁ, କିନ୍ତୁ ତୁମ କର୍ମର ପ୍ରବର୍ତ୍ତନ ଓ ଉଦ୍ଯାପନ ସେହି କରନ୍ତି; ସେହିଁ ତୁମର ସମସ୍ତ ଗତିର ଉତ୍ସ, ତୁମର ସମସ୍ତ ଶକ୍ତି ତାଙ୍କର, ତୁମର ମନ-ପ୍ରାଣ-ଦେହ ତାଙ୍କ କ୍ରିୟାର ଆନନ୍ଦମୟ ସଚେତନ ଯନ୍ତ୍ର, ତାଙ୍କ ଲୀଳାର ଉପକରଣ, ସ୍ଥୂଳ ଜଗତରେ ତାଙ୍କର ପ୍ରକାଶର ଆଧାର । ଏହି ଐକ୍ୟ ଓ ନିର୍ଭରତା ଅପେକ୍ଷା ଆଉ କିଛି ଅଧିକ ଆନନ୍ଦଦାୟକ ଅବସ୍ଥା ହୋଇ ନ ପାରେ । ଏହି ଅବସ୍ଥାରେ ଉନ୍ନୀତ ହେଲେ ଅଜ୍ଞାନର ସଙ୍ଘର୍ଷସଙ୍କୁଳ ବେଦନାମୟ ଜୀବନର ସୀମା ପାର ହୋଇ ଅଧ୍ୟାତ୍ମସତ୍ତାର ସତ୍ୟରେ ତଥା ତାହାର ଗଭୀର ଶାନ୍ତି ଏବଂ ପରମ ଆନନ୍ଦ ମଧ୍ୟରେ ତୁମେ ପ୍ରବେଶ କରିବ ।
ଏହି ରୂପାନ୍ତର ହେଉଥିବା ସମୟରେ ତୁମେ ବିଶେଷରୂପେ ଅହଂକାରର ସମସ୍ତ ବିକୃତି-ଦୋଷରୁ ନିଜକୁ ମୁକ୍ତ ରଖୁବା ଉଚିତ । ତୁମର ଆତ୍ମଦାନ ଓ ଉତ୍ସର୍ଗର ନିର୍ମଳତାକୁ କୌଣସି ଦାବି, କୌଣସି ଜିଦ୍ ଯେପରି କଳଙ୍କିତ ନ କରେ । କର୍ମ ବା କର୍ମଫଳରେ କୌଣସି ଆସକ୍ତି ରଖିବ ନାହିଁ, ଯେଉଁ ଦିବ୍ୟ ଶକ୍ତି ତୁମକୁ ଅଧିକାର କରିବ, ତାକୁ ତୁମେ ଅଧିକାର କରିବାକୁ ଦାବି କରିବ ନାହିଁ, ଯନ୍ତ୍ର ବୋଲି ଗର୍ବ କରିବ ନାହିଁ, ଆତ୍ମମ୍ଭରିତା ଓ ଔଦ୍ଧତ୍ୟକୁ କୌଣସି ସ୍ଥାନ ଦେବ ନାହିଁ । ତୁମର ମନ, ପ୍ରାଣ, ଶରୀର ମଧ୍ୟରେ ଏପରି କିଛିକୁ ରହିବାକୁ ଦେବ ନାହିଁ ଯାହା ତୁମ ଭିତର ଦେଇ ଯେଉଁ ମହତୀ ଶକ୍ତିରାଜି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ କୌଣସି ପ୍ରକାରେ ନିଜର ବ୍ୟବହାର ପାଇଁ ବିକୃତ କରିପାରେ ବା ନିଜର ବ୍ୟକ୍ତିଗତ ସ୍ଵତନ୍ତ୍ର ତୃପ୍ତି ପାଇଁ ଅଧିକାର କରିପାରେ । ତୁମର ଶ୍ରଦ୍ଧା, ତୁମର ଐକାନ୍ତିକତା, ତୁମର ଆସ୍ପୃହାର ଶୁଦ୍ଧତା ଯେପରି ପରମ ପରାକାଷ୍ଠା ପ୍ରାପ୍ତ ହୁଏ, ତହିଁରେ ତୁମ ସତ୍ତାର ସକଳ ଭୂମି, ସକଳ ସ୍ତରକୁ ଯେପରି ପରିପୂର୍ଣ୍ଣ କରି ରଖେ । ତା’ହେଲେ ଯେଉଁ ସମସ୍ତ ଉପକରଣ ବିକ୍ଷୋଭ ସୃଷ୍ଟି କରେ, ଯେଉଁ ସବୁ ପ୍ରଭାବ ବିକୃତିକୁ ଜନ୍ମ ଦିଏ, ସେସବୁ କ୍ରମଶଃ ତୁମ ପ୍ରକୃତିରୁ ଦୂର ହୋଇଯିବ ।
ଏହି ସିଦ୍ଧିର ଶେଷ ଅବସ୍ଥା ଆସିବ ଯେତେବେଳେ ତୁମେ ମା ଭଗବତୀଙ୍କ ସଙ୍ଗରେ ସମ୍ପୂର୍ଣ୍ଣ ଏକୀଭୂତ ହେବ, ଯେତେବେଳେ ଏ ବୋଧ ତୁମର ରହିବ ନାହିଁ ଯେ ତୁମେ ଏକ ଭିନ୍ନ, ପୃଥକ୍ ସତ୍ତା, ଯନ୍ତ୍ର, ସେବକ ବା କର୍ମୀ; ତୁମେ ଅନୁଭବ କରିବ ଯେ ପ୍ରକୃତରେହିଁ ତୁମେ ମା’ଙ୍କର ସନ୍ତାନ, ତାଙ୍କ ଚେତନା ଓ ଶକ୍ତିର ସନାତନ ଅଂଶ, ସତତ ସେ ତୁମ ମଧ୍ୟରେ ଓ ତୁମେ ତାଙ୍କ ମଧ୍ୟରେ; ତୁମର ସମସ୍ତ ଚିନ୍ତା, ସମସ୍ତ ଦୃଷ୍ଟି, ସମସ୍ତ କର୍ମ, ପ୍ରତି ନିଃଶ୍ୱାସ-ପ୍ରଶ୍ଵାସ, ପ୍ରତ୍ୟେକ ଗତିବୃତ୍ତି ତାଙ୍କଠାରୁ ଆସିଛି, ସେସବୁ ତାଙ୍କରି,– ଏହି ହେବ ତୁମର ସହଜ, ସ୍ଵାଭାବିକ ଓ ନିରବଚ୍ଛିନ୍ନ ଉପଲବ୍ଧି । ତୁମେ ଜାଣିବ, ଦେଖିବ, ଅନୁଭବ କରିବ ଯେ ଜଗନ୍ମାତା ତୁମକୁ ଏକ ବିଶେଷ ବ୍ୟକ୍ତି ଓ ଶକ୍ତିରୂପେ ତାଙ୍କର ନିଜର ସତ୍ତାରୁ ନିଜେହିଁ ଗଢ଼ିଛନ୍ତି, ଲୀଳା ନିମିତ୍ତ ବାହାରକୁ ପ୍ରକଟ କରି ଧରିଛନ୍ତି, ତେବେ ବି ସର୍ବଦାହିଁ ତୁମେ ତାଙ୍କ ମଧ୍ୟରେ ନିରାପଦରେ ରହିଛ, ତାଙ୍କ ସତ୍ତାର ତୁମେ ସତ୍ତା, ତାଙ୍କରି ଚେତନାର ତୁମେ ଚେତନା, ତାଙ୍କରି ଶକ୍ତିର ତୁମେ ଶକ୍ତି, ତାଙ୍କରି ଆନନ୍ଦର ତୁମେ ଆନନ୍ଦ । ଯେତେବେଳେ ଏହି ଅବସ୍ଥା ତୁମ ମଧ୍ୟରେ ପୂର୍ଣ୍ଣାଙ୍ଗତା ପ୍ରାପ୍ତ ହେବ, ଯେତେବେଳେ ତାଙ୍କର ଅତିମାନସ ତେଜୋରାଜି ତୁମକୁ ଅବାଧରେ ପରିଚାଳିତ କରିପାରିବ, ସେତେବେଳେ ହେବ ଦିବ୍ୟକର୍ମରେ ତୁମର ସର୍ବାଙ୍ଗସୁନ୍ଦର ସିଦ୍ଧି; ଜ୍ଞାନ, ସଂକଳ୍ପ, କର୍ମ ହେବ ଅଭ୍ରାନ୍ତ, ସରଳ, ଜ୍ୟୋତିର୍ମୟ, ସ୍ବତଃସ୍ଫୁର୍ଭ, ନିର୍ଦୋଷ-ପରମେଶ୍ୱରଙ୍କଠାରୁ ଉତ୍ସାରିତ ଏକ ପ୍ରବାହ, ଶାଶ୍ଵତଙ୍କର ଏକ ଦିବ୍ୟଗତି ।