★ ଶ୍ରୀଅରବିନ୍ଦ ହେଉଛନ୍ତି ପରମେଶ୍ବରଙ୍କ ଜଣେ ପ୍ରତିଭୁ । – ଶ୍ରୀମା
★ ପୃଥିବୀ ଇତିହାସର ଆରମ୍ଭରୁ ଏହାର ସକଳ ବିରାଟ ରୂପାନ୍ତର କ୍ରିୟାରେ ଶ୍ରୀଅରବିନ୍ଦ ହିଁ ପୌରୋହିତ୍ୟ କରି ଆସିଛନ୍ତି – ଏକ ବା ବିଭିନ୍ନ ନାମ ରୂପରେ। – ଶ୍ରୀମା
★ ଶ୍ରୀଅରବିନ୍ଦ ହେଉଛନ୍ତି ଭଗବାନଙ୍କର ଜଣେ ପ୍ରତିଭୁ ଯେ ପୃଥିବୀ ପୃଷ୍ଠରେ ଆବିର୍ଭୂତ ହେଲେ ଏକ ନୂତନ ଜାତି, ନୂତନ ଜଗତର– ଅତିମାନସ ଜାତି ଓ ଜଗତର ଅଭିବ୍ୟକ୍ତିର ଘୋଷଣା କରିବା ନିମିତ୍ତ । ଆସ ସକଳ ଆନ୍ତରିକତା ଓ ଉତ୍ସାହ ସହିତ ଏଥି ନିମନ୍ତେ ପ୍ରସ୍ତୁତ ହେବା। – ଶ୍ରୀମା
★ ମୋର ଦେବ—ସ୍ବରୂପ ବିସର୍ଜନ କରି ମୁଁ ଏହି ଜଘନ୍ୟ ପୃଥିବୀ ଉପରେ ଅବତରଣ କରି ଆସିଛି ଜନ୍ମ ଓ ମୃତ୍ୟୁ ଏହି ଦୁଇ ଆବରଣ ମଧ୍ୟରେ I ହୋଇଉଠିଛି ଜ୍ଞାନହୀନ, ଶ୍ରମକ୍ଷୀଣ, ମନୁଷ୍ୟରୂପୀ । କର୍ଦ୍ଦମ ଓ କଳୁଷର ବିଭୀଷିକା ମଧ୍ୟରେ ଦୀର୍ଘକାଳ ଧରି କ୍ରମଶଃ ଗଭୀରକୁ ଖୋଳି ଚାଲିଛି । ମୁଁ ଚାହିଁଛି ସ୍ବର୍ଣ୍ଣମୟୀ ତଟିନୀର ସଙ୍ଗୀତ ନିମନ୍ତେ ଗୋଟିଏ ଧାରା, ଶାଶ୍ବତ ଅଗ୍ନିର ନିମନ୍ତେ ଏକ ନିବାସଭୂମି । – ଶ୍ରୀଅରବିନ୍ଦ
★ ବିଶ୍ବ -ଇତିହାସରେ ଶ୍ରୀଅରବିନ୍ଦ ଯେଉଁ ସତ୍ୟଟିର ପ୍ରତିନିଧିତ୍ଵ କରୁଛନ୍ତି, ତାହାକୁ ଏକ ଶିକ୍ଷା ବା ଏପରିକି ଏକ ସତ୍ଯୋଦ୍ଘାଟନ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ; ତାହା ହେଉଛି ସର୍ବୋଚ୍ଚ ପରମସତ୍ତାଙ୍କ ପାଖରୁ ସିଧା ପ୍ରେରିତ ହୋଇ ଆସୁଥିବା ଏକ ମୀମାଂସକ କର୍ମଧାରା । – ଶ୍ରୀମା (୧୪ ଫେବ୍ରୁଆରି ୧୯୬୧)
★ ପୂର୍ବତନ ଅନ୍ୟ କୌଣସି ଧର୍ମମତ କିଂବା ଧର୍ମଶିକ୍ଷା ସହିତ ପ୍ରତିଯୋଗିତା କରି ପୃଥିବୀ ଲାଗି ସେହିପରି କିଛି ଆଣି ଦେବା ପାଇଁ ଶ୍ରୀଅରବିନ୍ଦ ଏଠାକୁ ଆସି ନାହାନ୍ତି । ଏହି ପୃଥିବୀ ଯେପରି ଅତୀତକୁ ଅତିକ୍ରମ କରିଯାଇ ପାରିବ, ସେଥିଲାଗି ବାଟ ଦେଖାଇ ଦେବାକୁ ଏବଂ ଏକ ଆସନ୍ନ ତଥା ଅନିବାର୍ଯ୍ୟ ଭବିଷ୍ୟ ଆଡ଼କୁ ପଡ଼ିଥିବା ପଥଟିକୁ ମୂର୍ତ୍ତ ଭାବରେ ଖୋଲି ଦେବାକୁହିଁ ସେ ପୃଥିବୀକୁ ଆସିଛନ୍ତି । – ଶ୍ରୀମା (୨୨ ଫେବ୍ରୁଆରି ୧୯୬୭)
★ ଏହି ପୃଥିବୀର ଆଧ୍ୟାତ୍ମିକ ପ୍ରଗତିର ଇତିହାସରେ ଶ୍ରୀଅରବିନ୍ଦ ଯେଉଁ ସତ୍ୟଟିର ପ୍ରତିନିଧିତ୍ଵ କରୁଛନ୍ତି, ତାହା ଏକ ଶିକ୍ଷା ନୁହେଁ, ଏକ ସତ୍ଯୋଦ୍ଘାଟନ ମଧ୍ୟ ନୁହେଁ; ଏହା ହେଉଛି ଏକ ଶକ୍ତିମନ୍ତ କର୍ମଧାରା, ଯାହାକି ସିଧା ସେହି ସର୍ବୋଚ୍ଚ ପରମସତ୍ତାଙ୍କଠାରୁହିଁ ପ୍ରେରିତ ହୋଇ ଆସୁଛି । – ଶ୍ରୀମା (୧୫ ଅଗଷ୍ଟ ୧୯୬୪)
★ ପୃଥ୍ବୀ-ଇତିହାସର ଆରମ୍ଭକାଳରୁହିଁ ଶ୍ରୀଅରବିନ୍ଦ ବୃହତ୍ ଯାବତୀୟ ବିଶ୍ବରୂପାନ୍ତରର ପ୍ରକ୍ରିୟା ଉପରେ ଅଧିଷ୍ଠାତା ରୂପେ ଅବସ୍ଥିତ ରହିଛନ୍ତି,– କୌଣସି ନା କୌଣସି ରୂପରେ ତଥା କୌଣସି ନା କୌଣସି ନାମରେ ଅବସ୍ଥିତ ରହିଛନ୍ତି।
ଯେଉଁ ଭବିଷ୍ୟତଟିକୁ ଅବଶ୍ୟ ଉପଲବ୍ଧି କରିବାକୁ ହେବ, ତାହାରି ସୌନ୍ଦର୍ଯ୍ୟ ବିଷୟରେ ପୃଥିବୀକୁ କହିବା ସକାଶେ ଶ୍ରୀଅରବିନ୍ଦଙ୍କର ଆବିର୍ଭାବ ହୋଇଥିଲା ।
ପୃଥିବୀ ଯେଉଁ ଐଶ୍ବର୍ଯ୍ୟ ଏବଂ ମହିମା ଆଡ଼କୁ ଗତିକରି ଚାଲିଛି, ତାହାରି ବିଷୟରେ କେବଳ ଏକ ଆଶା ନୁହେଁ, ଏକ ସୁନିଶ୍ଚୟ ନିର୍ଭର ପ୍ରଦାନ କରିବାକୁହିଁ ଶ୍ରୀଅରବିନ୍ଦ ଏଠାକୁ ଆସିଥିଲେ । ଏହି ପୃଥିବୀ ଆଦୌ କୌଣସି ଏକ ଦୁର୍ଭାଗ୍ୟଜନକ ଆକସ୍ମିକତାର ପରିଣାମ ନୁହେଁ; ଏହା ହେଉଛି ଏକ ବିସ୍ମୟ, ଏବଂ ତାହା ଆପଣାର ଅଭିବ୍ୟକ୍ତି ଆଡ଼କୁ ଗତିଶୀଳ ହୋଇ ଚାଲିଛି ।
ଏହି ପୃଥିବୀର ସେହି ଭବିଷ୍ୟତରେ ସମ୍ଭବ ହେବାକୁ ଯାଉଥିବା ସୌନ୍ଦର୍ଯ୍ୟ ବିଷୟରେ ଏକ ସୁନିଶ୍ଚୟ ନିର୍ଭରତା ଲାଗି ଆବଶ୍ୟକତା ରହିଛି । ଏବଂ ଶ୍ରୀଅରବିନ୍ଦ ଆମକୁ ସେହି ନିର୍ଭରତାଟିକୁ ପ୍ରଦାନ କରିଛନ୍ତି । – ଶ୍ରୀମା (୨୭ ନଭେମ୍ବର ୧୯୭୧)
★ ଶ୍ରୀଅରବିନ୍ଦ କେବଳ ଗୋଟିଏ ଦେଶର ନୁହନ୍ତି, ସିଏ ସମଗ୍ର ପୃଥିବୀର l ତାଙ୍କର ଶିକ୍ଷା ଆମକୁ ଏକ କାମ୍ୟତର ଭବିଷ୍ୟ ଆଡ଼କୁ ପଥ ଦେଖାଇ ନେଇଯିବ । – ଶ୍ରୀମା (୧ ଜାନୁଆରି ୧୯୭୨)
★ ଅତିମାନସ ଜଗତଟି ଯେ ପ୍ରକୃତରେ ସମ୍ଭବ ହେବାକୁ ଯାଉଛି, ତାହାରି ଘୋଷଣା କରିବା ଲାଗି ଶ୍ରୀଅରବିନ୍ଦ ପୃଥିବୀକୁ ଆସିଥିଲେ । ସିଏ ଯେ କେବଳ ସେହି ଅଭିବ୍ୟକ୍ତିଟିର ଘୋଷଣା କରିଥିଲେ ତା’ ନୁହେଁ, ମାତ୍ର ଅତିମାନସ ଶକ୍ତିକୁ ଆଂଶିକ ଭାବରେ ନିଜ ଜୀବନରେ ମଧ୍ୟ ମୂର୍ତ୍ତ କରି ପାରିଥିଲେ ଏବଂ, ସେହି ଜଗତଟିକୁ ଅଭିବ୍ୟକ୍ତ କରି ପାରିବା ସକାଶେ ପ୍ରସ୍ତୁତ ହେବା ଲାଗି ଆମକୁ କ’ଣସବୁ କରିବାକୁ ପଡ଼ିବ, ଦୃଷ୍ଟାନ୍ତ ଦ୍ବାରା ତାହା ଦେଖାଇ ଦେଇଥିଲେ । ସିଏ ଆମକୁ ଯାହାସବୁ କହିଛନ୍ତି, ତାହାର ଅଧ୍ୟୟନ କରିବା ଏବଂ ତାଙ୍କର ଦୃଷ୍ଟାନ୍ତଟିର ଅନୁସରଣ କରିବା ପାଇଁ ପ୍ରୟାସ କରିବା ତଥା ନୂତନ ଅଭିବ୍ୟକ୍ତିଟି ନିମନ୍ତେ ଆପଣାକୁ ପ୍ରସ୍ତୁତ କରିବା – ଆମ ଲାଗି ଏହାହିଁ ସର୍ବୋତ୍ତମ କାର୍ଯ୍ୟ ।
ଏହାରି ଦ୍ଵାରାହିଁ ଆମେ ଜୀବନର ଯଥାର୍ଥ ବୋଧଟିକୁ ଲାଭ କରି ପାରିବା ଏବଂ ତାହା ଯାବତୀୟ ପ୍ରତିବନ୍ଧକକୁ ଅତିକ୍ରମ କରିଯିବା ସକାଶେ ଆମକୁ ଅବଶ୍ୟ ସାହାଯ୍ୟ କରିବ ।
ତେଣୁ, ଆମେ ସେହି ନୂତନ ସୃଜନ ଲାଗି ଜୀବନ ବଞ୍ଚିବା ଏବଂ ତରୁଣ ତଥା ଅଗ୍ରଗତିକାମୀ ହୋଇ ରହିବା ସଙ୍ଗେ ସଙ୍ଗେ ଆପଣାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରି ଗଢ଼ିବା । – ଶ୍ରୀମା (୩୦ ଜାନୁଆରି ୧୯୭୨)
★ ଶ୍ରୀଅରବିନ୍ଦ ହେଉଛନ୍ତି ଦିବ୍ୟ ପରମସତ୍ତାଙ୍କର ଏକ ପ୍ରସର୍ଜନ;– ଏକ ନୂତନ ମାନବଜାତି ତଥା ଏକ ନୂତନ ଜଗତର : ସେହି ଅତିମାନସ ଜଗତର ଅଭିବ୍ୟକ୍ତିକୁ ଘୋଷଣା କରିବା ଲାଗି ସେ ପୃଥିବୀକୁ ଆସିଥିଲେ ।
ଆମର ସକଳ ନିଷ୍ଠା ଏବଂ ଉତ୍ସାହ ସହିତ ଆମେ ସେହି ଅଭିବ୍ୟକ୍ତି ଲାଗି ପ୍ରସ୍ତୁତ ହେବା । – ଶ୍ରୀମା (୨୦ ଜୁନ୍ ୧୯୭୨)
★ ଏକ ନୂତନ ମାନବଜାତି ଏବଂ ଅତିମାନସ ଜଗତର ଆବିର୍ଭାବକୁ ଘୋଷଣା କରିବା ଲାଗି ଶ୍ରୀଅରବିନ୍ଦ ସର୍ବୋଚ୍ଚ ପରମସତ୍ତାଙ୍କ ପାଖରୁ ଏଠାକୁ ଆସିଥିଲେ ।
ଆମେ ସକଳ ନିଷ୍ଠା ଓ ଉତ୍ସାହ ସହିତ ସେଥିପାଇଁ ପ୍ରସ୍ତୁତ ହେବା । – ଶ୍ରୀମା (୧୫ ଅଗଷ୍ଟ ୧୯୭୨)
★ ମନୁଷ୍ୟ ହେଉଛି ଗତ କାଲିର ସର୍ଜନା ।
ଆଗାମୀ କାଲିର ସର୍ଜନା – ଅତିମାନସ ସତ୍ତାର ଆଗମନର ଘୋଷଣା କରିବାକୁ ଶ୍ରୀଅରବିନ୍ଦ ପୃଥିବୀକୁ ଆସିଥିଲେ। – ଶ୍ରୀମା (୧୫ ଅଗଷ୍ଟ ୧୯୭୨)
★ ଅଗ୍ରଗତି ଲାଗି ଆମ ଭିତରେ ଏକ ପିପାସା ରହିଥିବ, ଶ୍ରୀଅରବିନ୍ଦ ଯାହାଙ୍କର ବାର୍ତ୍ତା ବହନ କରି ପୃଥିବୀକୁ ଆସିଛନ୍ତି, ସେହି ଦିବ୍ୟ ପରମପ୍ରଭାବ ଆଡ଼କୁ ଆମର ସକଳ ସତ୍ତା ଉନ୍ମୁକ୍ତ ହୋଇ ରହିଥିବ,– ତାଙ୍କର ଶତବାର୍ଷିକୀ ବର୍ଷରେ ଆମେ ତାହାରି ଦ୍ଵାରାହିଁ ଶ୍ରୀଅରବିନ୍ଦଙ୍କ ଲାଗି ଆମର ସର୍ବୋଚ୍ଚ ସମ୍ମାନ ଦେଖାଇ ପାରିବା। – ଶ୍ରୀମା (୧୫ ଅଗଷ୍ଟ ୧୯୭୨)
★ ଶ୍ରୀଅରବିନ୍ଦଙ୍କର ଚେତନା ମଧ୍ୟକୁ ନିଜକୁ ଉନ୍ମୋଚିତ କରିଦିଅ, ଏବଂ ସେହି ଚେତନାକୁହିଁ ତୁମର ଜୀବନକୁ ରୂପାନ୍ତରିତ କରିଦେବା ଲାଗି ଅନୁମତି ଦିଅ । – ଶ୍ରୀମା (୨୬ ସେପ୍ଟେମ୍ବର ୧୯୭୧)
★ ଶ୍ରୀଅରବିନ୍ଦ ସର୍ବଦା ଉପସ୍ଥିତ ରହିଛନ୍ତି ।
ତୁମେ ନିଷ୍ଠାଯୁକ୍ତ ହୁଅ, ବିଶ୍ଵାସର ବିକାଶ କରାଅ ।
ଏହାହିଁ ସର୍ବପ୍ରଥମ ଆବଶ୍ୟକତା ।
ଅନେକ ଆଶୀର୍ବାଦ । – ଶ୍ରୀମା (୨୯ ସେପ୍ଟେମ୍ବର ୧୯୭୧)