ଦୂର୍ଗାସ୍ତୋତ୍ର

ମାତଃ ଦୁର୍ଗେ ! ସିଂହବାହିନି ସର୍ବଶକ୍ତିଦାୟିନି ମାତଃ ଶିବପ୍ରିୟେ ! ତୋର ଶକ୍ତ୍ୟଂଶଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସୀନ, ପ୍ରାର୍ଥନା କରୁଛୁ– ଶୁଣ, ମାତଃ, ଏହି ଭାରତବର୍ଷେ ଆବିର୍ଭୂତ‌ ହୁଅ ,ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ଯୁଗେ ଯୁଗେ ମାନବଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋରହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରିଯାଉ । ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ, ଶୁଣ, ମାତଃ, ଏହି ଭାରତବର୍ଷେ,ଆବିର୍ଭୂତ‌ ହୁଅ,ସହାୟ ହୁଅ।।

ମାତଃ ଦୁର୍ଗେ ! ସିଂହବାହିନି, ତ୍ରିଶୂଳଧାରିଣି, ବର୍ମ-ଆବୃତ-ସୁନ୍ଦର-ଶରୀରେ ମାତଃ ଜୟଦାୟିନୀ! ତୋ ପ୍ରତୀକ୍ଷାରେ ଭାରତ ରହିଅଛି, ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତଃ, ଏହି ଭାରତବର୍ଷେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ବଳଦାୟିନି, ପ୍ରେମଦାୟିନି, ଜ୍ଞାନଦାୟିନି, ଶକ୍ତିସ୍ୱରୂପିଣି, ଭୀମେ, ସୌମ୍ୟ-ରୌଦ୍ର ରୂପିଣି ! ଜୀବନ-ସଂଗ୍ରାମେ, ଭାରତ-ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ, ଦିଅ ମା, ପ୍ରାଣେ, ମନେ ଅସୁରର ଶକ୍ତି, ଅସୁରର ଉଦ୍ୟମ, ଦିଅ ମା, ହୃଦୟରେ ବୁଦ୍ଧିରେ ଦେବଚରିତ୍ର, ଦେବଜ୍ଞାନ।।

ମାତଃ ଦୁର୍ଗେ ! ଜଗତ୍‌ଶ୍ରେଷ୍ଠ ଭାରତଜାତି ନିବିଡ଼ ତିମିରରେ ଆଛନ୍ନ ଥିଲା । ତୁହିଁ ମାତଃ,‌ ଗଗନପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ, ତୋର ସ୍ଵର୍ଗୀୟ ଶରୀରର ତିମିରବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା ।ଆଲୋକ ବିସ୍ତାର କର, ମାତଃ, ତିମିର ବିନାଶ କର।।

ମାତଃ ଦୁର୍ଗେ ! ଶ୍ୟାମଳା, ସର୍ବସୌନ୍ଦର୍ଯ୍ୟ – ଅଳଂକୃତା, ଜ୍ଞାନ-ପ୍ରେମ ଶକ୍ତିର ଆଧାର ଭାରତଭୂମି ତୋର ବିଭୂତି, ଆଜି ପର୍ଯ୍ୟନ୍ତ ଶକ୍ତିସଂହରଣରେ ଆତ୍ମଗୋପନ କରିଥିଲା । ଆଗତ ସେହି ଯୁଗ, ଆଗତ ସେହି ଦିନ, ଯେତେବେଳେ ସମଗ୍ର ବିଶ୍ଵର ଭାର ସ୍କନ୍ଧରେ ବହନ କରି ଭାରତଜନନୀ ଉଠୁଅଛି। ଆସ ମାତଃ, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ତୋର ସନ୍ତାନ ଆମ୍ଭେମାନେ, ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ, ମହତ୍ ଭାବର ଉପଯୁକ୍ତ ହେଉ। ହେ ମାତଃ ! ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ।।

ମାତଃ ଦୁର୍ଗେ ! କାଳୀରୁପିଣି, ନୃମୁଣ୍ଡମାଳିନି, ଦିଗମ୍ବରେ, କୃପାଣପାଣିଦେବି, ଅସୁରବିନାଶିନି ! କ୍ରୂରନିନାଦରେ ଅନ୍ତଃସ୍ଥରିପୁ ବିନାଶ କର, ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନ ପାରେ, ବିମଳ ନିର୍ମଳ ଯେପରି ହେଉ, ଏହି ପ୍ରାର୍ଥନା ମାତଃ, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ସ୍ଵାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ। ହେ ମାତଃ ଆମ୍ଭମାନଙ୍କୁ ମହତ୍ କର , ମହତ୍ ପ୍ରୟାସୀ କର, ଉଦାରଚେତା କର, ସତ୍ୟସଂକଳ୍ପ କର, ଯେପରି ଆଉ ଅଳ୍ପାଶୀ, ନିଶ୍ଚେଷ୍ଟ,, ଅଳସ, ଭୟଭୀତ ନ ହେଉ।।

ମାତଃ ଦୁର୍ଗେ ! ଯୋଗଶକ୍ତି ବିସ୍ତାର କର, ଆମେହଁ ତୋର ପ୍ରିୟ ଆର୍ଯ୍ୟ-ସନ୍ତାନ, ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତଶିକ୍ଷା, ଚରିତ୍ର, ମେଧାଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟଜ୍ଞାନ ବିକାଶ କରି ଜଗତରେ ବିତରଣ କର । ମାନବ ସହାୟେ ଦୁର୍ଗତିନାଶିନି ଜଗଦମ୍ବେ, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ଅନ୍ତଃସ୍ଥରିପୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର । ବଳଶାଳୀ, ପରାକ୍ରମୀ, ଉନ୍ନତଚେତା ଆର୍ଯ୍ୟଜାତି ଭାରତର ପବିତ୍ର କାନନେ, ଉର୍ବର କ୍ଷେତ୍ର, ଗଗନ-ସହଚର ପର୍ବତ-ତଳେ, ପୂତଃସଲିଳା ନଦୀତୀରେ ଏକତା, ପ୍ରେମ, ସତ୍ୟ, ଶକ୍ତି, ଶିଳ୍ପ, ସାହିତ୍ୟ, ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ, ମାତୃଚରଣରେ ଏହାହିଁ ପ୍ରାର୍ଥନା, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ଆମ୍ଭମାନଙ୍କ ମଧ୍ୟରେ ଯୋଗବଳରେ ପ୍ରବେଶ କର।ଆମ୍ଭେମାନେ ହୋଇଉଠିବୁ ତୋର ଯନ୍ତ୍ର, ଅଶୁଭବିନାଶୀ ତରବାରୀ, ଅଜ୍ଞାନ ତିମିରବିନାଶୀ ପ୍ରଦୀପ, ଭାରତର ଯୁବକଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭହନ୍ତ୍ରୀ ହୋଇ ତରବାରି ଘୂରାଅ, ଜ୍ଞାନଦୀପ୍ତି-ପ୍ରକାଶିନୀ ହୋଇ ପ୍ରଦୀପ ଧର; ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ, ଶ୍ରଦ୍ଧା -ଭକ୍ତି-ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତଃ! ଆମ୍ଭମାନଙ୍କ ମନ-ପ୍ରାଣ-ଶରୀରରେ ପ୍ରକାଶ ହୁଅ।।

ବୀରମାର୍ଗପ୍ରଦର୍ଶିନି, ଆସ ! ଆଉ ବିସର୍ଜନ କରିବୁ ନାହିଁ । ହେ ମାତଃ ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗାପୂଜା, ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବାବ୍ରତ ହେଉ, ଏହାହିଁ ପ୍ରାର୍ଥନା, ମାତଃ, ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ।।


📚 Support publishers & authors! 📚
If you find value in a book,
consider buying a physical copy!