ଯଦି ଜୀବନ-ପଥରେ ସକଳ ଭୟ, ସଙ୍କଟ ଏବଂ ସର୍ବନାଶ ବିରୋଧରେ କବଚାବୃତ ହୋଇ ଚାଲିବାକୁ ଚାହିଁ, ତେବେ କେବଳ ଦୁଇଟି ଜିନିଷ ପ୍ରୟୋଜନ – ସେ ଦୁଇଟି ସର୍ବଦା ଏକସଙ୍ଗେ ରହେ। ପ୍ରଥମଟି ହେଲା ମା ଭଗବତୀଙ୍କ କରୁଣା, ଆଉ ଦ୍ବିତୀୟଟି ହେଲା ତୁମ ଆଡୁ ଶ୍ରଦ୍ଧା, ନିଷ୍ଠା, ସମର୍ପଣରେ ଗଠିତ ତୁମର ଅନ୍ତଃକରଣ। ତୁମର ଶ୍ରଦ୍ଧା ହେବା ଉଚିତ ଶୁଦ୍ଧ, ସରଳ ଏବଂ ପୂର୍ଣ୍ଣ। ମନ ଓ ପ୍ରାଣର ଅହମାତ୍ମକ ଶ୍ରଦ୍ଧା, ଯେଉଁ ଶ୍ରଦ୍ଧାକୁ ଉଚ୍ଚାଭିଳାଷ, ଗର୍ବ, ଆତ୍ମାଭିମାନ, ମନର ଦମ୍ଭ, ସ୍ୱେଚ୍ଛାଚାରିତା, ବ୍ୟକ୍ତିଗତ ଦାବି, ନିମ୍ନ ପ୍ରକୃତିର ସକଳ ତୁଚ୍ଛ ତୃପ୍ତିର କାମନା କଳୁଷିତ କରି ରଖିଛି, ସେ ଶ୍ରଦ୍ଧାର ଅନୁନ୍ନତ ଧୂମାଚ୍ଛନ୍ନ ଶିଖା ସ୍ୱର୍ଲୋକ ଦିଗରେ ଉର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହୋଇଉଠେ ନାହିଁ। ମନେରଖ ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆ ହୋଇଛି। ଆଉ କିଛି ଆକାଂକ୍ଷା କର ନାହିଁ – କେବଳ ଦିବ୍ୟ ଚେତନାର ବିଶୁଦ୍ଧି, ଶକ୍ତି, ଜ୍ୟୋତି, ପ୍ରସାରିତା, ପ୍ରଶାନ୍ତି, ଆନନ୍ଦ ସକାଶେ ଆକାଂକ୍ଷା କର ଯେପରିକି ସେହି ଚେତନା ତୁମ ମନ, ପ୍ରାଣ, ଦେହକୁ ରୂପାନ୍ତରିତ ଓ ସର୍ବାଙ୍ଗସୁନ୍ଦର କରି ଗଢ଼ିବା ନିମିତ୍ତ ସତତ ସଚେଷ୍ଟ ହୋଇଉଠିବ। ଆଉ କିଛି ଚାହଁ ନାହିଁ, କେବଳ ପୃଥିବୀ ଉପରେ, ତୁମ ମଧ୍ୟରେ, ଯେଉଁମାନେ ଅଧିକାର ପାଇଛନ୍ତି, ଯେଉଁ ମାନଙ୍କୁ ଗ୍ରହଣ କରାହୋଇଛି, ସେମାନଙ୍କ ମଧ୍ୟରେ ଭାଗବତ, ଆଧ୍ୟାତ୍ମିକ, ଅତିମାନସ ସତ୍ୟ ଓ ତାହାର ବାସ୍ତବ ସିଦ୍ଧିକୁ ଚାହଁ ଏବଂ ଚାହଁ ସେହି ଅବସ୍ଥା ଓ ବ୍ୟବସ୍ଥା ଯାହାର ଆନୁକୂଲ୍ୟରେ ହେବ ଏହି ସତ୍ୟର ସୃଷ୍ଟି ଏବଂ ସକଳ ବିରୋଧୀ ଶକ୍ତି ଉପରେ ପୂର୍ଣ୍ଣ ବିଜୟ।
ତୁମର ଆନ୍ତରିକତା ଓ ତୁମର ସମର୍ପଣ ହେଉ ଯଥାର୍ଥ ଏବଂ ସମ୍ପୂର୍ଣ୍ଣ। ଯେବେ ତୁମକୁ ନିଜକୁ ଦେଇ ଦେବାକୁ ହୁଏ, ତେବେ ନିଃଶେଷରେ ଦେଇ ଦିଅ, କୌଣସି ଦାବି, କୌଣସି ସର୍ତ୍ତ, କୌଣସି କୁଣ୍ଠିତ ଭାବ ରଖ ନାହିଁ, ଯଦ୍ଦ୍ୱାରା ତୁମର ସକଳ ବସ୍ତୁ ଦିବ୍ୟଜନନୀଙ୍କର ହୋଇଯିବ, ଅହଂକାର ପାଇଁ ଅଥବା ଅନ୍ୟ କୌଣସି ଶକ୍ତିକୁ ଦେବା ସକାଶେ ଯେପରି ଆଉ କିଛି ଅବଶିଷ୍ଟ ନ ଥିବ।
ତୁମର ଶ୍ରଦ୍ଧା, ତୁମର ଆନ୍ତରିକତା ଓ ସମର୍ପଣ ଯେତେ ପୂର୍ଣ୍ଣତର ହେବ, ମା’ଙ୍କର କରୁଣା ଓ ଅଭୟ ସେତେହିଁ ଘେରି ରହିବ। ଯଦି ମା ଭଗବତୀଙ୍କର କରୁଣା ଓ ଅଭୟ ତୁମ ସଙ୍ଗେ ରହିଛି, ତେବେ ଆଉ ଏପରି କ’ଣ ଅଛି ଯାହା ତୁମକୁ ସ୍ପର୍ଶ କରିବ ବା ଆଉ କାହାକୁ ତୁମେ ଭୟ କରିବ? ଏହି କୃପାରୁ ଅଳ୍ପ ଟିକିଏ ବି ତୁମକୁ ସକଳ ବାଧା ବିପତ୍ତି ଓ ସଙ୍କଟରୁ ପାର କରିଦେବ; ତାଙ୍କର ପୂର୍ଣ୍ଣ ଉପସ୍ଥିତି ଯଦି ତୁମକୁ ଆବୃତ କରି ରଖେ, ତେବେ ନିରାପଦରେ ତୁମ ପଥରେ ତୁମେ ଚାଲିଯାଇ ପାରିବ, କାରଣ ସେ ପଥ ହେଲା ମା’ଙ୍କର; ଏ ଜଗତରେ ହେଉ ବା ଅଦୃଶ୍ୟ ଜଗତସମୂହରେ ହେଉ, କୌଣସି ଶତ୍ରୁଶକ୍ତି, ତାହା ଯେତେ ଶକ୍ତିଶାଳୀ ହେଉ ନା କାହିଁକି, ତୁମକୁ ସ୍ପର୍ଶ କରିପାରିବ ନାହିଁ; କୌଣସି ବିଭୀଷିକା ତୁମ ଚିନ୍ତାର କାରଣ ହୋଇପାରିବ ନାହିଁ। ଏହି କରୁଣାର ସ୍ପର୍ଶରେ ସଙ୍କଟ ସୁଯୋଗରେ, ବ୍ୟର୍ଥତା ସାର୍ଥକତାରେ, ଦୁର୍ବଳତା ଅମୋଘ ସାମର୍ଥ୍ୟରେ ପରିଣତ ହୁଏ। କାରଣ ଦିବ୍ୟଜନନୀଙ୍କର ଅନୁକମ୍ପା ହେଲା ପରମେଶ୍ଵରଙ୍କ ଅନୁମତି। ଏବେ ହେଉ ବା ପରେ ହେଉ, ତାହାର ଫଳ ସୁନିଶ୍ଚିତ, ପୁର୍ବନିର୍ଦିଷ୍ଟ, ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ।