ଶ୍ରୀମା

★ ଶ୍ରୀମା ହେଉଛନ୍ତି ଦିବ୍ୟ ଜନନୀ, ବିଶ୍ବ ଜନନୀ, ଆଦିମାତା, ଆଦିଶକ୍ତି, ଅତିମାନସ ମହାଶକ୍ତି ।

★ ପୃଥିବୀର ଆରମ୍ଭରୁ, ଯେଉଁଠାରେ ଓ ଯେତେବେଳେ ବି ପରମଚେତନାର ଗୋଟିଏ ରଶ୍ମିକୁ ମଧ୍ୟ ପ୍ରକାଶ କରି ଆଣିବାର ଏକ ସମ୍ଭାବନା ଉପସ୍ଥିତ ହୋଇଥିଲା, ସେଠାରେ ମୁଁ ଅବଶ୍ୟ ଥିଲି। – ଶ୍ରୀମା

★ ମୁଁ କୌଣସି ଜାତିର ନୁହେଁ, କୌଣସି ସଭ୍ୟତାର ନୁହେଁ, କୌଣସି ସମାଜର ନୁହେଁ କି କୌଣସି ପ୍ରଜାତି ଗୋଷ୍ଠୀର ନୁହେଁ । ମୁଁ ହେଉଛି ଦିବ୍ୟ ପରମସତ୍ତାଙ୍କର । – ଶ୍ରୀମା

★ ଦିବ୍ୟ ଜନନୀ ହେଉଛନ୍ତି ଭଗବାନଙ୍କ ଦିବ୍ୟ ଚେତନା ଓ ଦିବ୍ୟ ଶକ୍ତି– ସେ ସବୁକିଛିର ଜନନୀ। – ଶ୍ରୀଅରବିନ୍ଦ

★ ଆଦ୍ୟାଶକ୍ତି ହେଉଛନ୍ତି ମୂଳଶକ୍ତି, ତେଣୁ ମା’ଙ୍କର ସର୍ବୋତ୍ତମ ରୂପ । ଏକ ଅଦ୍ବିତୀୟା, ସେ ପ୍ରକଟ ହୁଅନ୍ତି ବିଭିନ୍ନ ରୂପରେ, ବିଭିନ୍ନ ଭୂମିରେ, ଯେଉଁ ଭୂମିରେ ଆମେ ତାଙ୍କୁ ଦେଖୁ ସେହି ଅନୁସାରେ। – ଶ୍ରୀଅରବିନ୍ଦ

★ ପୃଥି‌ବୀର ଆରମ୍ଭରୁ, ଯେଉଁଠାରେ ଓ ଯେତେବେଳେ ବି ପରମଚେତନାର ଗୋଟିଏ ରଶ୍ମିକୁ ମଧ୍ଯ ପ୍ରକାଶ କରି ଆଣିବାର ଏକ ସମ୍ଭାବନା ଉପସ୍ଥିତ ହୋଇଥିଲା, ସେଠାରେ ମୁଁ ଅବଶ୍ୟ ଥିଲି । – ଶ୍ରୀମା

★ ମାଆ, “ଆପଣ ଭଗବାନ ‌କି ?” – ଯଦି କେହି ଆପଣଙ୍କୁ ଏହି ପ୍ରଶ୍ନଟି ଆସି ପଚାରେ, ତେବେ ଆପଣ କ’ଣ ଉତ୍ତର ଦେବେ ?
ଆମେ ଯେକୌଣସି ମନୁଷ୍ୟକୁ ମଧ୍ଯ ଏହି ପ୍ରଶ୍ନଟିକୁ ପଚାରି ପାରିବା । ଏବଂ ତାହାର ଉତ୍ତର ହେଉଛି : ହଁ, ଆମ ପ୍ରତ୍ୟେକଙ୍କ ମଧ୍ୟରେ ଭଗବାନ୍‌ ହେବାର ସମ୍ଭାବନା ରହିଛି ।
ଏବଂ ତାହାକୁ ଏକ ବାସ୍ତବ ସତ୍ୟରେ ପରିଣତ କରିବା, ତାହାହିଁ ପ୍ରତ୍ୟେକ ବ୍ଯକ୍ତିର କର୍ତ୍ତବ୍ୟ । – ଶ୍ରୀମା

★ ପଶ୍ନ— ଆପଣଙ୍କ ‘ମା’ ବହିରେ ଆମ୍ଭମାନଙ୍କ ମା’ଙ୍କ ବିଷୟରେ କହି ନାହାନ୍ତି କି?
ଉତ୍ତର— ହଁ ।
ପ୍ରଶ୍ନ—ବ୍ୟକ୍ତିରୂପରେ ସେ କ’ଣ ସେହି ଦିବ୍ୟ ଜନନୀ ନୁହନ୍ତି ଯେ କି ବିଶ୍ଵଗତ ଓ ବିଶ୍ୱାତୀତ ସତ୍ତା—ଏହି ଦୁଇ ବୃହତ୍ତର ଧାରା ଓ ଶକ୍ତିକୁ ମୂର୍ତ୍ତ କରିଛନ୍ତି ?
ଉତ୍ତର— ହଁ ।
ପ୍ରଶ୍ନ—ସେ କ’ଣ ଏଠାରେ ଆମ୍ଭମାନଙ୍କ ମଝିରେ, ଏହି ଅନ୍ଧକାର, ମିଥ୍ୟା, ଭ୍ରାନ୍ତି ଓ ମୃତ୍ୟୁଲେକରେ ଆମ୍ଭମାନଙ୍କ ପ୍ରତି ଗଭୀର ଓ ମହାନ୍ ପ୍ରେମ ବଶରେ ଅବତରି ଆସି ନାହାନ୍ତି ?
ଉତ୍ତର— ହଁ । – ଶ୍ରୀଅରବିନ୍ଦ

★ ମା’ଙ୍କ ପ୍ରତି ଉନ୍ମୁକ୍ତ ରହିବାର ଅର୍ଥ ହେଉଛି ବିଶ୍ୱାସ ସହ ବରାବର ଶାନ୍ତ ଓ ପ୍ରସନ୍ନ ରହିବା ଏବଂ କୌଣସି ପ୍ରକାର ଅସ୍ଥିରତା, ଶୋକ ବା ହତାଶାକୁ ପ୍ରଶ୍ରୟ ନ ଦେଇ ତାଙ୍କର ଶକ୍ତିକୁ ତୁମ ଭିତରେ କାର୍ଯ୍ୟ କରିବାକୁ ଦେବା ଯେପରିକ ତାହା ତୁମକୁ ଚାଳିତ କରେ ଏବଂ ଜ୍ଞାନ, ଶାନ୍ତି ତଥା ଆନନ୍ଦ ଆଣିଦିଏ । ତୁମେ ଯଦି ନିଜକୁ ଉନ୍ମୁକ୍ତ ରଖିପାରୁ ନାହିଁ ତେବେ ଧୀର ସ୍ଥିର ଭାବରେ ନିରନ୍ତର ଅଭୀପ୍ସା କର ଯେପରିକି ତୁମେ ଉନ୍ମୁକ୍ତ ହୋଇପାରିବ। – ଶ୍ରୀଅରବିନ୍ଦ

ମୋ’ ଜୀବନର ବ୍ରତ ସମ୍ବନ୍ଧରେ ମୁଁ ସଚେତନ ହେଲି କିପରି ?
ଏହି ପୃଥିବୀରେ ମୋତେ ଯେ ଏକ ଲକ୍ଷ୍ୟକୁ ପୂର୍ଣ୍ଣ କରିବାକୁ ପଡ଼ିବ, ସେହି ବିଷୟରେ ମୁଁ କିପରି ସଚେତନ ହେଲି? ଏବଂ କେବେ ଓ କିପରି ଶ୍ରୀଅରବିନ୍ଦଙ୍କୁ ଆସି ଭେଟିଲି ?

ତୁମେ ମୋତେ ଏହି ଦୁଇଟି ପ୍ରଶ୍ନ ପଚାରିଛ ଏବଂ ମୁଁ ସଂକ୍ଷେପରେ ତାହାର ଉତ୍ତର ଦେବି ବୋଲି ପ୍ରତିଶ୍ରୁତି ଦେଇଥିଲି ।
ଲକ୍ଷ୍ୟଟି ବିଷୟରେ ଠିକ୍ କେବେ ମୋ’ର ଏକ ଜ୍ଞାନ ହେଲା, ସେକଥା କହିବା ପ୍ରକୃତରେ କଷ୍ଟକର । ସତେଯେପରି ମୁଁ ସେହି ଲକ୍ଷ୍ୟଟିକୁ ସାଙ୍ଗରେ ନେଇହିଁ ଜନ୍ମ ହୋଇଥିଲି ଏବଂ, ମୋ’ର ମନ ତଥା ମସ୍ତିଷ୍କର ଅଭିବୃଦ୍ଧି ସଙ୍ଗେସଙ୍ଗେ ସେହି ଚେତନା ମଧ୍ୟ ଅଧିକରୁ ଅଧିକ ନିର୍ଦିଷ୍ଟ ଏବଂ ସଂପୂର୍ଣ୍ଣ ହୋଇଥିଲା ।

ମୋ’ ଜୀବନରୁ ୧୧ ରୁ ୧୩ ବର୍ଷ ଭିତରେ କ୍ରମାଗତ କେତେଗୋଟି ଚୈତ୍ୟ ତଥା ଆଧ୍ୟାତ୍ମିକ ଅନୁଭୂତି ମୋ’ଲାଗି ପରମେଶ୍ଵରଙ୍କର ଅସ୍ତିତ୍ଵ ବିଷୟରେ କେବଳ ଯେ ସତ୍ଯୋଦ୍‌ଘାଟନ କରି ଦେଇଥିଲେ ତା’ ନୁହେଁ, ମାତ୍ର ମନୁଷ୍ୟ ଲାଗି ଯେ ତାଙ୍କ ସହିତ ଯୁକ୍ତ ହୋଇ ପାରିବାର, ଚେତନା ଏବଂ କର୍ମର କ୍ଷେତ୍ରରେ ତାଙ୍କୁ ପୂର୍ଣ୍ଣ ଭାବରେ ଉପଲବ୍ଧି କରିବାର ତଥା ଏକ ଦିବ୍ୟ ଜୀବନର ଭୂମି ଉପରେ ଏହି ପୃଥିବୀପୃଷ୍ଠରେ ତାଙ୍କୁ ଅଭିବ୍ୟକ୍ତ କରାଇବାର ଏକ ସମ୍ଭାବନା ମଧ୍ୟ ରହିଛି, ଏଗୁଡ଼ିକୁ ଅତ୍ୟନ୍ତ ସ୍ପଷ୍ଟ କରି ଦେଇଥିଲେ । ମୋ’ ଶରୀର ସୁପ୍ତ ଅବସ୍ଥାରେ ରହିଥିବା ବେଳେ ଏକାଧିକ ଗୁରୁ ଓ ଶିକ୍ଷକ ମୋତେ ଏହି ସତ୍ୟଟିକୁ ଏବଂ ତାହାର ପରିପୂରଣ ଲାଗି ଆବଶ୍ୟକ ଏକ ପ୍ରୟୋଗାତ୍ମକ ସାଧନାମାର୍ଗକୁ ମଧ୍ୟ ମୋତେ ଆସି ପ୍ରଦାନ କରିଥିଲେ; ଶାରୀରିକ ଭୂମିରେ ମୋ’ର ଏମାନଙ୍କ ମଧ୍ୟରୁ କେତେକଙ୍କ ସହିତ ପରେ ସାକ୍ଷାତ ହୋଇଥିଲା ।

ତା’ପରେ, ଅନ୍ତର ତଥା ବାହାରର ବିକାଶ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ, ଏହି ସତ୍ତାମାନଙ୍କ ମଧ୍ୟରୁ ଜଣକ ସହିତ ମୋ’ର ଆଧ୍ୟାତ୍ମିକ ଏବଂ ଚୈତ୍ୟ ସମ୍ବନ୍ଧ ଅଧିକରୁ ଅଧିକ ସ୍ପଷ୍ଟ ଓ ବାରଂବାର ଘଟିବାକୁ ଲାଗିଲା; ଏବଂ ସେତେବେଳେ ଭାରତୀୟ ବିଭିନ୍ନ ଦର୍ଶନ ତଥା ଧର୍ମଗୁଡ଼ିକ ବିଷୟରେ ମୋ’ର ପ୍ରାୟ କୌଣସି ଜ୍ଞାନ ନ ଥିଲେ ମଧ୍ୟ, ମୁଁ କୌଣସି ପ୍ରେରଣାରୁ ତାଙ୍କୁ କୃଷ୍ଣ ବୋଲି ଅଭିହିତ କରିଥିଲି ଓ ତା’ପରେ ମୁଁ ବେଶ୍ ସଚେତନ ଭାବରେ ବୁଝି ପାରିଲି ଯେ ତାଙ୍କରି ସହିତହିଁ (ପୃଥିବୀପୃଷ୍ଠରେ ମୋ’ର ତାଙ୍କ ସହିତ ଅବଶ୍ୟ ଦିନେ ଦେଖା ହେବ ବୋଲି ମୁଁ ଜାଣି ପାରୁଥିଲି) ମୋତେ ଦିବ୍ୟ କାର୍ଯ୍ୟଟିକୁ ସମ୍ପାଦନ କରିବାକୁ ପଡ଼ିବ ।

୧୯୧୦ ମସିହାରେ ମୋ’ର ସ୍ବାମୀ ଏକାକୀ ପଣ୍ଡିଚେରୀ ଆସିଥିଲେ; ଏହିଠାରେ ଏକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ଓ ବିଚିତ୍ର ପରିସ୍ଥିତିରେ ଶ୍ରୀଅରବିନ୍ଦଙ୍କ ସହିତ ତାଙ୍କର ପରିଚୟ ଘଟିଥିଲା । ସେହି ଦିନଠାରୁ ପୁନର୍ବାର ଭାରତବର୍ଷକୁ ଫେରି ଆସିବାକୁ ଆମ ଦୁହିଙ୍କର ବଳବତୀ ଇଚ୍ଛା ହେଲା,– ଭାରତବର୍ଷକୁହିଁ ମୁଁ ସର୍ବଦା ମୋ’ର ପ୍ରକୃତ ମାତୃଭୂମି ବୋଲି ଅନୁଭବ କରି ଆସିଥିଲି, ଏବଂ ୧୯୧୪ ମସିହାରେ ଆମକୁ ସେହି ଆନନ୍ଦ ଉପଲବ୍ଧ ହେଲା ।

ଶ୍ରୀଅରବିନ୍ଦଙ୍କୁ ଦେଖିଲା ମାତ୍ରକେହିଁ ମୁଁ ତାଙ୍କରି ଭିତରେ ମୁଁ କୃଷ୍ଣ ବୋଲି କହି ଆସିଥିବା ସୁପରିଚିତ ସତ୍ତାଟିକୁ ଚିହ୍ନି ପାରିଲି ।… ଏବଂ, ମୋ’ର ସ୍ଥାନ ଓ ମୋ’ର କାର୍ଯ୍ୟ କାହିଁକି ଏହି ଭାରତବର୍ଷରେ ତାଙ୍କରି ପାଖରେ ରହିଛି ବୋଲି ମୁଁ ସଂପୂର୍ଣ୍ଣ ସଂପ୍ରତ୍ୟୟ ସହିତ ଗ୍ରହଣ କରିନେଇଛି, ତାହାର ବ୍ୟାଖ୍ୟା କରିଦେବା ପାଇଁ ଏତିକି କହିବା ଯଥେଷ୍ଟ ହେବ ।

  • ଶ୍ରୀମା (ପଣ୍ଡିଚେରୀ ୧୯୨୦)

📚 Support publishers & authors! 📚
If you find value in a book,
consider buying a physical copy!