୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ସ୍ବାଧୀନ ଭାରତର ଜନ୍ମ ଦିବସ । ତାହା ପାଇଁ ଏହା ଏକ ପୁରାତନ ଯୁଗର ଅବସାନ ଓ ନୂତନ ଯୁଗର ଆରମ୍ଭ । କିନ୍ତୁ ଆମେ ଏକ ସ୍ବାଧୀନ ଜାତି ରୂପେ ଆମ ଜୀବନ ଓ କର୍ମଦ୍ବାରା ଏହାକୁ ଏପରି ଏକ ମହତ୍ତ୍ବପୂର୍ଣ୍ଣ ଦିନ ଭାବରେ ରୂପ ଦେବା ଯେ ଯେପରି ଏହା ସମଗ୍ର ପୃଥିବୀ ପାଇଁ ମଣିଷ ଜାତିର ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭବିଷ୍ୟତ ପାଇଁ ଏକ ନୂତନ ଯୁଗର ଉନ୍ମୋଚନ କରିବ।
ଅଗଷ୍ଟ ୧୫ ମୋର ଜନ୍ମଦିବସ ଏବଂ ସ୍ବଭାବତଃ ଏହା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଏହି ଦିବସଟି ଏପରି ବିପୁଳ ତାତ୍ପର୍ଯ୍ୟ ଅର୍ଜନ କରିଛି ଏହି ଯୋଗାଯୋଗକୁ ମୁଁ ଏକ ଆକସ୍ମିକ ଘଟଣାରୂପେ ଗ୍ରହଣ କରୁନାହିଁ । ବରଂ ମୁଁ ମନେକରେ ଯେଉଁ ଭାଗବତ ଶକ୍ତିଙ୍କ ପରିଚାଳନାରେ ମୋ କର୍ମଜୀବନ ଆରମ୍ଭ ହୋଇଥିଲା ଓ ଯାହା ମୋର ପ୍ରତ୍ୟେକ ପଦକ୍ଷେପରେ ପଥପ୍ରଦର୍ଶକ ଏହା ଆଜି ତାଙ୍କର ସ୍ବୀକୃତି ଓ ଅନୁମୋଦନ ଯୋଗୁ ହୋଇଛି ଏବଂ ମୁଁ ଭାବୁଛି କାର୍ଯ୍ୟର ପୂର୍ଣ୍ଣ ସାଫଲ୍ୟର ସମୟ ସମାଗତ । ଏହି ଦିବସଟିରେ ମୁଁ ପ୍ରାୟ ସେହିସବୁ ବିଶ୍ବକ୍ରିୟାବଳୀକୁ ଲକ୍ଷ୍ୟ କରୁଛି ଯେଉଁଗୁଡ଼ିକୁ ମୁଁ ମୋ ଜୀବଦ୍ଦଶାରେ ପୂର୍ଣ୍ଣ ହେବାର ଆଶା କରିଥିଲି। ଯଦିଓ ସେଗୁଡ଼ିକ ସେତେବେଳେ ଦିବାସ୍ବପ୍ନ ସଦୃଶ ପ୍ରତୀୟମାନ ହେଉଥିଲା, ଆଜି କିନ୍ତୁ ଲକ୍ଷ୍ୟ କରୁଛି ସେସବୁ ସଫଳ ହୋଇଛି ଅଥବା ସଫଳତାର ପଥରେ । ଏହିସବୁ କ୍ରିୟାଧାରା ମଧ୍ୟରେ ସ୍ବାଧୀନ ଭାରତ ଏକ ମହାନ୍ ଭୂମିକା ଏବଂ ଏକ ଗୁରୁତ୍ବପୂର୍ଣ ନେତୃତ୍ବ ଗ୍ରହଣ କରିପାରେ।
ଏହିଗୁଡ଼ିକ ମଧ୍ୟରୁ ମୋର ପ୍ରଥମ ସ୍ବପ୍ନ ଥିଲା ଏକ ବୈପ୍ଳବିକ ଆନ୍ଦୋଳନ ଯାହା ଦ୍ବାରା ଏକ ସ୍ବାଧୀନ ଓ ଅଖଣ୍ଡ ଭାରତ ପ୍ରତିଷ୍ଠା ହେବ । ଆଜି ଭାରତ ସ୍ବାଧୀନ କିନ୍ତୁ ତାହା ଏପର୍ଯ୍ୟନ୍ତ ମଧ୍ୟ ଅଖଣ୍ଡତା ଲାଭ କରିପାରିନାହିଁ ବ୍ରିଟିଶ୍ ଶାସନର ଅବ୍ୟବହିତ ପୂର୍ବେ ଭାରତ ଯେପରି ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇ ବିଶୃଙ୍ଖଳିତ ହୋଇପଡ଼ିଥିଲା, ଏକ ସମୟରେ ମନେହେଉଥିଲା ସ୍ବାଧୀନତା ଦ୍ବାରା ପୁଣି ସେହି ସ୍ତରକୁ ଭାରତ ଖସିପଡ଼ିବ । କିନ୍ତୁ ସୌଭାଗ୍ୟର କଥା, ବର୍ତ୍ତମାନ ବୋଧହେଉଛି ଏହି ବିପଦକୁ ଦୂର କରାଯାଇପାରିବ ଏବଂ ପରିପୂର୍ଣ ଅଖଣ୍ଡତା ପ୍ରତିଷ୍ଠିତ ନହୋଇ ପାରିଲେ ମଧ୍ୟ ଏକ ସୁଦୃଢ଼ ନୀତି ଯୋଗୁ ଦଳିତ ଜାତିର ସମସ୍ୟା, ବିଭେଦ ଓ ମତଭେଦ ବିନା ସବୁକିଛି ସମାଧାନ ହୋଇଯିବାର ସମ୍ଭାବନା ଦେଖାଦେଇଛି କିନ୍ତୁ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଥିବା ପୂର୍ବର ସାମ୍ପ୍ରଦାୟିକ ବିଭେଦ ବର୍ତ୍ତମାନ ଅଧିକତର ଦୃଢ଼ ହୋଇ ଦେଶର ଏକ ସ୍ଥାୟୀ ରାଜନୈତିକ ବିଭକ୍ତିକରଣର ରୂପ ନେଉଥିବା ପରି ମନେହୁଏ। ତଥାପି ଆଶା କରାଯାଏ ଯେ ଏହାକୁ ଚିରକାଳ ପାଇଁ ଏକ ମୀମାଂସିତ ସ୍ଥାୟୀ ଘଟଣାରୂପେ ଗ୍ରହଣ କରାଯିବ ନାହିଁ ଅଥବା ଏକ ସାମୟିକ ବ୍ୟବସ୍ଥା ବ୍ୟତୀତ ଏହାକୁ ଅନ୍ୟ ମୂଲ୍ୟ ଦିଆଯିବା ଉଚିତ ନୁହେଁ କାରଣ ଯଦି ଏହା ସ୍ଥାୟୀ ରହେ ତେବେ ଭାରତ ଶୋଚନୀୟ ଭାବରେ ଶକ୍ତିହୀନ ଏପରିକି ପଙ୍ଗୁ ମଧ୍ୟ ହୋଇଯାଇପାରେ । ସର୍ବଦା ଗୃହବିବାଦର ସମ୍ଭାବନା ଏପରି କି ବିଦେଶୀ ଆକ୍ରମଣ ଓ ରାଜ୍ୟ ଅଧିକାରର ସମ୍ଭାବନା ମଧ୍ୟ ରହିପାରେ । ଜାତି ଓ ଦେଶ ମଧ୍ୟରେ ତାହାର ଆସନ ଦୁର୍ବଳ ହୋଇଯାଇପାରେ ଓ ତାହାର ଭବିତବ୍ୟ ବ୍ୟାହତ ଏପରିକି ବ୍ୟର୍ଥ ମଧ୍ୟ ହୋଇଯାଇପାରେ। ଏହା ଯେପରି କଦାପି ନ ଘଟେ, ଦେଶ ବିଭାଜନ ଯେପରି ଅବଶ୍ୟ ହିଁ ଦୂର ହେବ କେବଳ ଶାନ୍ତି ସହୃଦୟତା ପାଇଁ ନୁହେଁ, ଆହୁରି ମଧ୍ୟ ମିଳିତ କାର୍ଯ୍ୟର ଅଭ୍ୟାସ ଦ୍ବାରା ଏବଂ ସେହି ଉଦ୍ଦେଶ୍ୟର ଆବଶ୍ୟକୀୟ ଉପାୟ ସୃଷ୍ଟି କରିବା ଦ୍ବାରା । ଏହିପରି ଭାବରେ ପରିଶେଷରେ ଏକତା ପ୍ରତିଷ୍ଠିତ ହେବ, ତାହା ଯେକୌଣସି ରୂପ ନେଉନା କାହିଁକି – ନିର୍ଦ୍ଦିଷ୍ଟ ରୂପର ମୂଲ୍ୟ କେବଳ ବ୍ୟବହାରିକ ହେବ, ତାହାର କୌଣସି ମୌଳିକ ଗୁରୁତ୍ବ ନାହିଁ । କିନ୍ତୁ ଯେକୌଣସି ଉପାୟରେ ହେଉ ଯେ କୌଣସି ପନ୍ଥାରେ ହେଉ, ଦେଶ ବିଭାଜନ ନିଶ୍ଚୟ ଦୂର କରିବାକୁ ହେବ, ଏକତା ଅବଶ୍ୟ ପ୍ରତିଷ୍ଠିତ ହେବ କାରଣ ଭାରତର ଭବିଷ୍ୟତ ମହାନତା ପାଇଁ ଏହା ଅତ୍ୟନ୍ତ ପ୍ରୟୋଜନ
ଅନ୍ୟ ଏକ ସ୍ବପ୍ନ ହେଲା ଏସିଆବାସୀଙ୍କ ପୁନରୁତ୍ଥାନ ଓ ମୁକ୍ତି ଏବଂ ମାନବ ସଭ୍ୟତାର ବିକାଶ ଦିଗରେ ତାହାର ମହତ୍ତର ଭୂମିକା ଗ୍ରହଣ । ଏସିଆ ଆଜି ଜାଗ୍ରତ, ତାହାର ଏକ ବିରାଟ ଅଂଶ ମୁକ୍ତ ହୋଇସାରିଛି କିମ୍ବା ବର୍ତ୍ତମାନ ମୁକ୍ତି ହେବା ପଥରେ । ଏହାର ଏପର୍ଯ୍ୟନ୍ତ ପରାଧୀନ ଥିବା ବା ଆଂଶିକ ପରାଧୀନ ଥିବା ଅନ୍ୟାନ୍ୟ ଅଂଶକୁ କୌଣସି ନା କୌଣସି ସଂଗ୍ରାମ ଚଳାଇ ସ୍ବାଧୀନତା ଦିଗରେ ଆଗେଇ ଚାଲିଛନ୍ତି । କେବଳ ସାମାନ୍ୟ ମାତ୍ର କରିବାକୁ ବାକି ଅଛି ଏବଂ ଆଜି ହେଉ ବା କାଲି ହେଉ ତାହା ନିଶ୍ଚିତ ରୂପେ ହେବ । ସେଥିରେ ଭାରତର ନିଜସ୍ବ ଭୂମିକା ରହିଛି ଏବଂ ଶକ୍ତି ଓ ସାମର୍ଥ୍ୟର ସହିତ ସେ ଏହି ଭୂମିକା ଗ୍ରହଣ କରିବାକୁ ଆରମ୍ଭ କରିଛି । ଏଥିରୁ ସୂଚିତ ହେଉଛି ତାହାର ଭବିଷ୍ୟତ ସମ୍ଭାବନା ଓ ରାଷ୍ଟ୍ରମାନଙ୍କ ସଭାରେ ସେ କେଉଁ ଆସନ ଗ୍ରହଣ କରିବ।
ତୃତୀୟ ସ୍ଵପ୍ନ ହେଲା ବିଶ୍ବସଂଘର ପ୍ରତିଷ୍ଠା – ଯାହା ସମଗ୍ର ମାନବଜାତି ପାଇଁ ଏକ ଅଧିକ ସୁନ୍ଦରତର, ଉଜ୍ଜଳତର ଓ ମହତ୍ତର ଜୀବନର ବାହ୍ୟ ଭିତ୍ତି ଗଠନ କରିବ । ମାନବ ସମାଜର ସେହି ଏକତା ବର୍ତ୍ତମାନ ପ୍ରସ୍ତୁତି ପଥରେ; ଏ ଦିଗରେ ଏକ ପ୍ରାରମ୍ଭିକ କାର୍ଯ୍ୟ ସଙ୍ଗଠିତ ହୋଇସାରିଛି ଯଦିଓ ଏହା ତ୍ରୁଟିପୂର୍ଣ; ତାହାକୁ ବହୁ ବାଧାବିଘ୍ନ ବିରୁଦ୍ଧରେ ମଧ୍ୟ ସଂଗ୍ରାମ କରିବାକୁ ହେଉଛି । କିନ୍ତୁ ତାହା ମଧ୍ୟରେ ରହିଛି ଏକ ପ୍ରବେଗ ଓ ଏହା ଅନିବାର୍ଯ୍ୟ ଭାବରେ ବୃଦ୍ଧିପାଇବ ଏବଂ ଅବଶ୍ୟ ବିଜୟ ହାସଲ କରିବ। ଏଠାରେ ମଧ୍ୟ ଭାରତ ଏକ ପ୍ରଧାନ ଭୂମିକା ନେବାକୁ ଆରମ୍ଭ କରିଛି; ଯଦି ସେ ସେହି ଧରଣର ବିଶାଳତର ରାଷ୍ଟ୍ରନୀତିକୁ ବିକଶିତ କରିପାରନ୍ତା। ଯାହାକି ବର୍ତ୍ତମାନ ଘଟଣା ଓ ଆଶୁ ସମ୍ଭାବନା ଦ୍ବାରା ସୀମାବଦ୍ଧ ନୁହେଁ, ବରଂ ଭବିଷ୍ୟତ ଦିଗରେ ଦୃଷ୍ଟିନିବନ୍ଧ କରେ ଏବଂ ସେହି ଭବିଷ୍ୟତକୁ ନିକଟତର କରାଏ । ତେବେ ଭାରତର ଉପସ୍ଥିତିର ପ୍ରଭାବ ଫଳରେ ଏ ଦିଗରେ ଅଗ୍ରଗତି ମନ୍ଥର ଓ ଶଙ୍କାକୁଳ ନହୋଇ ନିର୍ଭୀକ ଓ କ୍ଷିପ୍ର ହେବ । ହୁଏତ ଏକ ବିପର୍ଯ୍ୟୟ ମଧ୍ୟ ଆସିପାରେ ଏବଂ ତାହା ଏହି କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ବା ଏହାକୁ ସମ୍ପୂର୍ଣ ଧ୍ବଂସ ମଧ୍ୟ କରିପାରେ । କିନ୍ତୁ ତଥାପି ମଧ୍ୟ ଶେଷଫଳ ସ୍ଥିର ନିଶ୍ଚିତ । କାରଣ ଏକତା ପ୍ରକୃତିର ଏକ ପ୍ରୟୋଜନ ଓ ଏକ ଅନିବାର୍ଯ୍ୟ ପ୍ରକ୍ରିୟା । ଦେଶ ଓ ଜାତିମାନଙ୍କ ପାଇଁ ଏହାର ପ୍ରୟୋଜନୀୟତା ବିପକ୍ଷରେ ଚିରତର ତିଷ୍ଠି ପାରିବ ନାହିଁ । କିନ୍ତୁ ଏକ ବାହ୍ୟଭିରି ଯଥେଷ୍ଟ ନୁହେଁ ଏକ ଆନ୍ତର୍ଜାତିକ ଭାବ ଓ ଦୃଷ୍ଟିକୋଣର ବିକାଶ ଦରକାର । ଆନ୍ତର୍ଜାତିକ ବ୍ୟବସ୍ଥା ଓ ଅନୁଷ୍ଠାନ ମଧ୍ୟ ସୃଷ୍ଟି ହେବା ଦରକାର; ଆଉ ମଧ୍ୟ ଏପରି ବିକାଶ ଯଥା, ଦ୍ବୈତ ବା ବହୁନାଗରିକତ୍ବର ପ୍ରତିଷ୍ଠା, ବିଭିନ୍ନ ସଂସ୍କୃତି ମଧ୍ୟରେ ସ୍ବେଚ୍ଛାକୃତ ଆଦାନପ୍ରଦାନ ଓ ମିଳନ ମଧ୍ୟ ଆବଶ୍ୟକ ସେତେବେଳେ ଜାତୀୟତା ତାହାର ପୂର୍ଣ୍ଣତା ଲାଭ କରିଥିବ, ତାହାର ଯୁଦ୍ଧପ୍ରବୃତ୍ତ ହରାଇଥିବ ଏବଂ ନିଜ ଦୃଷ୍ଟିକୋଣର ପୂର୍ଣତା ଓ ଆତ୍ମସଂରକ୍ଷଣ ସହିତ ସେଗୁଡ଼ିକୁ ଅସଙ୍ଗତ ଅନୁଭବ କରିବ ନାହିଁ । ଏକତାର ଏକ ନୂତନ ଚେତନା ସମଗ୍ର ମାନବ ଜାତିକୁ ଅଧିକାର କରିବ ।
ଅନ୍ୟ ଏକ ସ୍ବପ୍ନ ହେଲା ପୃଥିବୀକୁ ଭାରତର ଆଧ୍ୟାତ୍ମିକ ଅବଦାନ – ଇତି ମଧ୍ୟରେ ତାହା ଆରମ୍ଭ ହୋଇସାରିଲାଣି। ଭାରତର ଆଧ୍ୟାତ୍ମିକତା ଇଉରୋପଖଣ୍ଡ ଓ ଆମେରିକା ମଧ୍ୟକୁ କ୍ରମଶଃ ଅଧିକ ଭାବରେ ପ୍ରବେଶ କରୁଛି । ସେହି ଆନ୍ଦୋଳନ ପ୍ରସାର ଲାଭ କରିବ । ଏ ଯୁଗର ବିପର୍ଯ୍ୟୟ ମଧ୍ୟରେ ଅଧିକରୁ ଅଧିକ ବ୍ୟକ୍ତି ଭାରତ ଆଡ଼କୁ ଆଶାର ଦୃଷ୍ଟି ନେଇ ଚାହିଁ ରହିଛନ୍ତି । ସେମାନେ କେବଳ ତାହାର ଶିକ୍ଷାପ୍ରତି ନୁହେଁ, ତାହାର ଅନ୍ତରାତ୍ମା ଓ ଆଧ୍ୟାତ୍ମିକ ସାଧନାର ଆଶ୍ରୟ ଖୋଜୁଛନ୍ତି ।
ସର୍ବଶେଷ ସ୍ବପ୍ନ ହେଲା ବିବର୍ତ୍ତନରେ ଏକ ଅଗ୍ର ପଦକ୍ଷେପ ଯାହାକି ମନୁଷ୍ୟକୁ ଏକ ଉଚ୍ଚତର ଓ ବିଶାଳତର ଚେତନା ମଧ୍ୟକୁ ଉନ୍ନୀତ କରିବ ଏବଂ ବ୍ୟକ୍ତିଗତ ପୂର୍ଣତା ଓ ସାମାଜିକ ପୂର୍ଣତାର ବିଷୟରେ ଚିନ୍ତାକରିବା ଓ ସ୍ବପ୍ନ ଦେଖିବା ଦିନଠାରୁ ମନୁଷ୍ୟକୁ ଯେଉଁ ସବୁ ସମସ୍ୟାଗୁଡ଼ିକ ବ୍ୟସ୍ତ ଓ ବିଚଳିତ କରିଛି ସେହିସବୁ ସମସ୍ୟାର ସମାଧାନ ଆଣିଦେବ । ତଥାପି ମଧ୍ୟ ଏହା ଏକ ବ୍ୟକ୍ତିଗତ ଆଶା, ବିଚାର ଓ ଆଦର୍ଶ ମାତ୍ର ଯାହା ଭାରତ ଓ ପାଶ୍ଚାତ୍ୟର ଦୂରଦୃଷ୍ଟି ସମ୍ପନ୍ନ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ଅଧିକାର କରିବାକୁ ଆରମ୍ଭ କରିଛି । ପ୍ରଚେଷ୍ଟାର ଅନ୍ୟକୌଣସି କ୍ଷେତ୍ର ଅପେକ୍ଷା ଏହି କ୍ଷେତ୍ରରେ ପ୍ରତିବନ୍ଧକ ଅଧିକ ଶକ୍ତିଶାଳୀ; କିନ୍ତୁ ପ୍ରତିବନ୍ଧକ ଗୁଡ଼ିକ ଅତିକ୍ରମ କରିବା ପାଇଁ ହିଁ ସୃଷ୍ଟି ହୋଇଥାନ୍ତି ଏବଂ ଯଦି ଭଗବାନଙ୍କ ଇଚ୍ଛା ଏହାର ପଶ୍ଚାତ୍ରେ ଥାଏ, ତେବେ ସେଗୁଡ଼ିକ ଅତିକ୍ରମ କରିହେବ। ପୁନଶ୍ଚ ଯଦି ବିବର୍ତ୍ତନର ଏହି ପଦକ୍ଷେପ ଗ୍ରହଣ କରିବାକୁ ହୁଏ ଯେହେତୁ ଏହା କେବଳ ସଂଘଟିତ ହେବ ଆତ୍ମା ଓ ଆନ୍ତର ଚେତନାର ବିକାଶ ଦ୍ବାରା, ତେଣୁ ଏ କ୍ଷେତ୍ରରେ ମଧ୍ୟ ଭାରତ ପ୍ରଥମ ଉଦ୍ୟମ ଆରମ୍ଭ କରିବ। ଯଦି ଏଥିପାଇଁ ସୁଯୋଗର ପରିସର ବିଶ୍ବବ୍ୟାପକ, ତଥାପି କେନ୍ଦ୍ରୀୟ ପ୍ରକ୍ରିୟା ଭାରତରୁ ହିଁ ଆରମ୍ଭ ହେବା ସମ୍ଭବ।
ଭାରତର ଏହି ସ୍ବାଧୀନତା ଦିବସକୁ ମୁଁ ଏହି ତାତ୍ପର୍ଯ୍ୟ ପ୍ରଦାନ କରୁଛି। ମୋର ଏହି ଆଶା କେତେଦୂର ସଫଳ ହେବ ତାହା ନିର୍ଭର କରେ ନୂତନ ଓ ସ୍ବାଧୀନ ଭାରତ ଉପରେ।