ଶ୍ରୀଅରବିନ୍ଦଙ୍କ ତିନୋଟି ପାଗଳାମୀ

ମୋର ତିନୋଟି ପାଗଳାମୀ ଅଛି। ପ୍ରଥମ ପାଗଳାମୀ : ମୋର ଦୃଢ଼ ବିଶ୍ବାସ ଭଗବାନ ଯେଉଁ ଗୁଣ, ଯେଉଁ ପ୍ରତିଭା, ଯେଉଁ ଉଚ୍ଚଶିକ୍ଷା ଓ ବିଦ୍ୟା, ଯେଉଁ ଧନ ଦେଇଛନ୍ତି, ସବୁକିଛି ଭଗବାନଙ୍କର, ଯାହା ପରିବାରର ଭରଣପୋଷଣରେ ଲାଗେ, ଆଉ ଯାହା ନିତାନ୍ତ ଆବଶ୍ୟକ ତାହାହିଁ ନିଜ ନିମିତ୍ତ ଖର୍ଚ୍ଚ କରିବାର ଅଧିକାର ଅଛି; ଯାହା ବାକି ରହିଲା ତାହା ଭଗବାନଙ୍କୁ ଫେରାଇ ଦେବା ଉଚିତ । ମୁଁ ଯଦି ସବୁକିଛି ନିଜ ନିମିତ୍ତ, ନିଜର ସୁଖ, ବିଳାସ ନିମିତ୍ତ ଖର୍ଚ୍ଚ କରେ, ତାହାହେଲେ ମୁଁ ଚୋର । ହିନ୍ଦୁ ଶାସ୍ତ୍ର କହେ, ଯେ ଭଗବାନଙ୍କ ନିକଟରୁ ଧନ ନେଇ ତାହା ଫେରାଇ ଦିଏ ନାହିଁ, ସେ ଚୋର ଏପର୍ଯ୍ୟନ୍ତ ଭଗବାନଙ୍କୁ ଦୁଇ ଅଣା ଦେଇ ବାକି ଚୌଦ ଅଣା ନିଜ ସୁଖରେ ଖର୍ଚ୍ଚ କରି ହିସାବ ନିକାଶ କରି ସାଂସାରିକ ସୁଖରେ ମତ୍ତ ଅଛି । ଜୀବନର ଅର୍ଦ୍ଧାଂଶଟା ବୃଥା କଟିଗଲା; ପଶୁ ମଧ୍ୟ ନିଜର ଓ ନିଜ ପରିବାରର ଉଦର ପୂରଣ କରି କୃତାର୍ଥ ହୁଏ।

ମୁଁ ଏତେଦିନ ପଶୁବୃତ୍ତ ଓ ଚୌର୍ଯ୍ୟବୃଦ୍ଧି କରି ଆସିଛି, ଏହି କଥା ବୁଝିପାରିଛି । ବୁଝି କରି ବଡ଼ ଅନୁତାପ ଓ ନିଜ ଉପରେ ବିଶେଷ ଘୃଣା ଆସିଛି । ଆଉ ଏପରି ହେବ ନାହିଁ, ଏ ଜନ୍ମରେ ଏ ପାପ ଏତିକି । ଭଗବାନଙ୍କୁ ଦେବାର ଅର୍ଥ କ’ଣ ? ଏହାର ଅର୍ଥ ଧର୍ମକାର୍ଯ୍ୟରେ ବ୍ୟୟ କରିବା । ଯେଉଁ ଟଙ୍କା ସରୋଜିନୀ ଓ ଉଷାକୁ ଦେଇଛି ସେଥିପାଇଁ କୌଣସି ଅନୁତାପ କରିବାକୁ ହେବ ନାହିଁ । ପରୋପକାର ଧର୍ମ, ଆଶ୍ରିତଙ୍କୁ ରକ୍ଷା କରିବା ମହାଧର୍ମ । କିନ୍ତୁ କେବଳ ଭାଇଭଉଣୀଙ୍କୁ ଦାନ କଲେ ହିସାବ ନିକାଶ ହୁଏ ନାହିଁ । ଏହି ଦୁର୍ଦ୍ଦିନରେ ସମସ୍ତ ଦେଶ ମୋ ଦ୍ବାରରେ ଆଶ୍ରିତ, ମୋର ତିରିଶି କୋଟି ଭାଇଭଉଣୀ ଏହି ଦେଶରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଅନାହାରରେ ମରୁଛନ୍ତି, ଅଧିକାଂଶହିଁ ଦୁଃଖକଷ୍ଟରେ ଜର୍ଜରିତ ହୋଇ କୌଣସି ମତେ ବଞ୍ଚି ରହିଛନ୍ତି, ସେମାନଙ୍କ କଲ୍ୟାଣ ସାଧନ କରିବାକୁ ହିଁ ହେବ।

କ’ଣ କହୁଛ, ଏ ବିଷୟରେ ତୁମେ ମୋର ସହଧର୍ମିଣୀ ହେବ ? କେବଳ ସାଧାରଣ ଲୋକଙ୍କ ପରି ଭୋଜନ କରି, ସାମାନ୍ୟ ପରିଧାନ କରି ଏବଂ ଯାହା ଅତ୍ୟାବଶ୍ୟକ ତାହା କିଣି, ବାକି ସବୁକିଛି ଭଗବାନଙ୍କୁ ଅର୍ପଣ କରିବି, ଏହାହିଁ ମୋର ଇଚ୍ଛା, ତୁମେ ସମ୍ମତି ଦେଲେ, ତ୍ୟାଗ ସ୍ବୀକାର କରିପାରିଲେ, ମୋର ଲକ୍ଷ୍ୟ ପୂର୍ଣ୍ଣ ହୋଇପାରିବ । ତୁମେ ଲେଖିଛ, ‘ମୋର କୌଣସି ଉନ୍ନତି ହେଉ ନାହିଁ, ଏହି ଯେ ଗୋଟିଏ ଉନ୍ନତିର ପଥ ଦେଖାଇ ଦେଲି, ସେ ପଥରେ ଯାତ୍ରା କରିପାରିବ କି?

ଦ୍ବିତୀୟ ପାଗଳାମି ଅଳ୍ପଦିନ ହେଲା ମୋତେ ଚାପିଧରିଛି । ପାଗଳାମିଟା ଏହି– ଯେ କୌଣସି ପ୍ରକାରରେ ଭଗବାନଙ୍କର ସାକ୍ଷାତ୍ ଦର୍ଶନ ଲାଭ କରିବାକୁ ହେବ । ଆଜିକାଲିର ଧର୍ମ-କଥା କଥାରେ ଭଗବାନଙ୍କର ନାମ ନେବା, ସମସ୍ତଙ୍କ ସମକ୍ଷରେ ପ୍ରାର୍ଥନା କରିବା, ଧାର୍ମିକ ବୋଲି ଲୋକଙ୍କୁ ଦେଖାଇ ହେବା ! ତା’ ମୁଁ ଚାହେଁ ନାହିଁ। ଈଶ୍ବର ଯଦି ଥା’ନ୍ତି, ତେବେ ତାଙ୍କର ଅସ୍ତିତ୍ବ ଅନୁଭବ କରିବା ଏବଂ ତାଙ୍କ ସଙ୍ଗେ ସାକ୍ଷାତ୍‌ କରିବାର କୌଣସି ନା କୌଣସି ପଥ ନିଶ୍ଚୟ ଥିବ। ସେ ପଥ ଯେତେ ଦୁର୍ଗମ ହେଉ ନା କାହିଁ କି, ମୁଁ ସେ ପଥରେ ଯିବାର ଦୃଢ଼ସଂକଳ୍ପ କରି ବସିଛି । ହିନ୍ଦୁଧର୍ମ କହେ, ସେ ପଥ ନିଜ ଶରୀର ଓ ନିଜ ମନ ମଧ୍ୟରେ ଅଛି । ଯିବାର ପଥ ଦେଖାଇ ଦେଇଛି, ମୁଁ ସେହିସବୁ ପାଳନ କରିବାକୁ ଆରମ୍ଭ କରିଛି । ମାସକ ମଧ୍ୟରେ ଅନୁଭବ କରିପାରିଲି ଯେ ହିନ୍ଦୁଧର୍ମର କଥା ମିଥ୍ୟା ନୁହେଁ, ଯେଉଁ ସୂଚନା ଓ ଚିହ୍ନର କଥା ରହିଛି, ସେସବୁ ଉପଲବ୍ଧି କରିଛି । ବର୍ତ୍ତମାନ ମୋର ଇଚ୍ଛା ତୁମକୁ ସେହି ପଥରେ ନେଇଯିବାକୁ, ଠିକ୍ ମୋ ସଙ୍ଗେ ସଙ୍ଗେ ତୁମେ ଯାଇପାରିବ ନାହିଁ, କାରଣ ତୁମର ଏତେ ଜ୍ଞାନ ନାହିଁ, କିନ୍ତୁ ମୋ ପଛେ ପଛେ ଆସିଲେ କୌଣସି ବାଧା ନାହିଁ । ସେହି ପଥରେ ସମସ୍ତେ ସିଦ୍ଧି ଲାଭ କରିପାରନ୍ତି, କିନ୍ତୁ ପ୍ରବେଶ କରିବା ଇଚ୍ଛା ଉପରେ ନିର୍ଭର କରେ, କେହି ତୁମକୁ ଧରି ନେଇ ଯାଇପାରିବ ନାହିଁ, ଯଦି ତୁମର ଏଥିରେ ମତ ଥାଏ ତେବେ ଏ ବିଷୟରେ ମୁଁ ଆହୁରି ଲେଖିବି।

ତୃତୀୟ ପାଗଳାମିଟା ଏହି ଯେ ଅନ୍ୟ ଲୋକମାନେ ସ୍ବଦେଶକୁ ଗୋଟାଏ ଜଡ଼ ପଦାର୍ଥ, କେତେଗୁଡ଼ିଏ ପଡ଼ିଆ ଜମି, ଶସ୍ୟକ୍ଷେତ୍ର, ବଣ ପର୍ବତ, ନଦୀ ବୋଲି ଜାଣନ୍ତି; ମୁଁ କିନ୍ତୁ ସ୍ବଦେଶକୁ ମା’ ବୋଲି ଜାଣେ, ଭକ୍ତି କରେ, ପୂଜା କରେ । ମା’ଙ୍କ ଛାତି ଉପରେ ବସି ଯଦି ଏକ ରାକ୍ଷସ ରକ୍ତପାନରେ ଉଦ୍ୟତ ହୁଏ, ତା’ହେଲେ ପୁଅ କ’ଣ କରେ? ନିଶ୍ଚିତ ଭାବରେ ଆହାର କରିବାକୁ ବସି, ସ୍ତ୍ରୀ-ପୁତ୍ରଙ୍କ ସଙ୍ଗେ ଆମୋଦ କରିବାକୁ ବସେ, ନା ମା’ଙ୍କୁ ଉଦ୍ଧାର କରିବା ନିମିତ୍ତ ଦୌଡ଼ିଯାଏ ? ମୁଁ ଜାଣେ ଏହି ପତିତଜାତିକୁ ଉଦ୍ଧାର କରିବା ନିମିତ୍ତ ବଳ ମୋ ଶରୀରରେ ଅଛି, ଶାରୀରିକ ବଳ ନୁହେଁ, ତରବାରି ବା ବନ୍ଧୁକ ନେଇ ମୁଁ ଯୁଦ୍ଧ କରିବାକୁ ଯାଉ ନାହିଁ, ଜ୍ଞାନର ବଳ। କ୍ଷାତ୍ରତେଜ ଏକମାତ୍ର ତେଜ ନୁହେଁ, ବ୍ରହ୍ମତେଜ ମଧ୍ୟ ଅଛି, ସେହି ତେଜ ଜ୍ଞାନ ଉପରେ ପ୍ରତିଷ୍ଠିତ। ଏହି ଭାବ ନୂତନ ନୁହେଁ, ଆଜିକାଲିର ନୁହେଁ। ଏହି ଭାବ ନେଇ ମୁଁ ଜନ୍ମଗ୍ରହଣ କରିଛି, ଏହି ଭାବ ମୋର ମଜ୍ଜାଗତ; ଭଗବାନ୍ ଏହି ମହାବ୍ରତ ସାଧନ କରିବାକୁ ମୋତେ ପୃଥିବୀକୁ ପଠାଇଛନ୍ତି। ଚଉଦ ବର୍ଷ ବୟସରେ ବୀଜଟି ଅଙ୍କୁରିତ ହେବାକୁ ଲାଗିଲା, ଅଠର ବର୍ଷ ବୟସରେ ସେହି ପ୍ରତିଷ୍ଠା ଦୃଢ଼ ଓ ଅଚଳ ହେଲା ତୁମେ ମାଉସୀଙ୍କ କଥା ଶୁଣି ଭାବିଥିଲ ଯେ, କୌଣସି ବଦପ୍ରକୃତିର ଲୋକ ତୁମର ସରଳ ଓ ଉତ୍ତମ ସ୍ବଭାବ ବିଶିଷ୍ଟ ସ୍ବାମୀଙ୍କୁ କୁପଥରେ ଟାଣି ନେଇଛି। କିନ୍ତୁ ତୁମର ଉତ୍ତମ ସ୍ବାମୀ ହିଁ ସେହି ଲୋକଙ୍କୁ ଓ ଆହୁରି ଶତ ଶତ ଲୋକଙ୍କୁ ସେହି ପଥରେ, କୁପଥ ବା ସୁପଥ ହେଉ, ପ୍ରବେଶ କରାଇଛନ୍ତି ଏବଂ ଆହୁରି ସହସ୍ର ସହସ୍ର ଲୋକଙ୍କୁ ସେଥିରେ ପ୍ରବେଶ କରାଇବେ। ମୁଁ ବଞ୍ଚିଥିବା ସମୟ ମଧ୍ୟରେ ଯେ କାର୍ଯ୍ୟସିଦ୍ଧି ହେବ, ଏକଥା ମୁଁ କହୁ ନାହିଁ, କିନ୍ତୁ ହେବ ନିଶ୍ଚୟ।


📚 Support publishers & authors! 📚
If you find value in a book,
consider buying a physical copy!